ବୌଦ୍ଧରେ କୃଷକଙ୍କ ତାଲିମ ଶିବିର, ଆଧୁନିକ ଚାଷ ଓ ଆୟ ବୃଦ୍ଧି ଉପରେ ଗୁରୁତ୍ୱ

କୃଷକଙ୍କ ଆର୍ଥିକ ଉନ୍ନତି ସହ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଚାଷକୁ ଅଧିକ ଲାଭଜନକ କରିବା ଲକ୍ଷ୍ୟରେ ବୌଦ୍ଧରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଥ ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ ସଂଗଠନର ତାଲିମ ଶିବିର। ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ସହାୟତାରେ ଏବଂ ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ରର ଆୟୋଜନରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସାଲୁଙ୍କି କୃଷକ ଉତ୍ପାଦକ ସଂଗଠନର ନିର୍ଦ୍ଦେଶକ, ସକ୍ରିୟ ସଦସ୍ୟ ଓ ଅଗ୍ରଣୀ କୃଷକମାନେ ଯୋଗଦେଇ କୃଷିର ବିକାଶ ଓ କୃଷକଙ୍କ ଆୟ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମଟି କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ତପନ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା। ଶିବିରରେ କୃଷକମାନଙ୍କୁ ଆଧୁନିକ ଚାଷ ପଦ୍ଧତି ଆପଣାଇବା, କୃଷି ସହ ଅନ୍ୟାନ୍ୟ ଆୟବର୍ଦ୍ଧକ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେବା ଏବଂ ଉତ୍ପାଦର ଉଚିତ ମୂଲ୍ୟ ପାଇବା ପାଇଁ ବଜାରଜାତକରଣର ଉପାୟ ସମ୍ପର୍କରେ ସଚେତନ କରାଯାଇଥିଲା।

ଏହି ଅବସରରେ ବୌଦ୍ଧ ବ୍ଲକର ମତ୍ସ୍ୟ ଅଧିକାରୀ ଅଜୟ କୁମାର ବେହେରା ଏବଂ ବଘିଆପଡ଼ାର ପ୍ରାଣୀ ଚିକିତ୍ସା ଅଧିକାରୀ ନିଜ ନିଜ ବିଭାଗର ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ। ଚାଷ ସହ ମତ୍ସ୍ୟଚାଷ ଓ ପଶୁପାଳନ ଭଳି କାର୍ଯ୍ୟକଳାପ କିପରି କୃଷକଙ୍କ ଆୟର ଅନ୍ୟ ଏକ ଉତ୍ସ ହୋଇପାରିବ, ସେନେଇ ମଧ୍ୟ ଆଲୋଚନା ହୋଇଥିଲା।

ବରିଷ୍ଠ ବୈଜ୍ଞାନିକ ସସ୍ମିତା ପାଳ ସୁଷମ ଖାଦ୍ୟର ଗୁରୁତ୍ୱ ବୁଝାଇଥିବା ବେଳେ ସାଲୁଙ୍କି କୃଷକ ଉତ୍ପାଦକ ସଂଗଠନର ଉପଦେଷ୍ଟା କେଦାରନାଥ ସାହୁ ଓ ପିସପୁଲ ସୋସାଇଟିର ସମ୍ପାଦିକା ମଞ୍ଜୁଲତା ଦାସ କୃଷକଙ୍କ ଆୟ ବୃଦ୍ଧି, ଆଧୁନିକ ଚାଷ ପଦ୍ଧତି, କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଓ ବଜାରଜାତକରଣ ଉପରେ ଗୁରୁତ୍ୱ ଦେଇଥିଲେ। ଚାଷୀମାନେ କେବଳ ଫସଲ ଉତ୍ପାଦନରେ ସୀମିତ ନରହି ଉତ୍ପାଦର ଗୁଣବତ୍ତା ବୃଦ୍ଧି, ସଂରକ୍ଷଣ ଓ ଉଚିତ ବଜାର ସହ ଯୋଡ଼ି ହେବା ଦ୍ୱାରା ଅଧିକ ଲାଭ ପାଇପାରିବେ ବୋଲି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା।

ଅନ୍ୟପକ୍ଷରେ, ସାଲୁଙ୍କି କୃଷକ ଉତ୍ପାଦକ ସଂଗଠନର ସିଇଓ ତଥା ସାମାଜିକ କର୍ମୀ କୃତ୍ତିବାସ ପଲିଆ କୃଷକମାନଙ୍କୁ ବେଆଇନ ଚାଷରୁ ଦୂରେଇ ରହି ଆଇନସମ୍ମତ ବିକଳ୍ପ ଅର୍ଥକାରୀ ଫସଲ ଚାଷ କରିବାକୁ ଆହ୍ୱାନ ଦେଇଥିଲେ। ବିକଳ୍ପ ଫସଲ ଚୟନ, ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଓ କୃଷି ଉତ୍ପାଦର ଉପଯୁକ୍ତ ବ୍ୟବସାୟିକ ପରିଚାଳନା ମାଧ୍ୟମରେ କୃଷକମାନେ ନିଜ ଆୟ ବଢ଼ାଇବା ସହ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ ମତ ଦେଇଥିଲେ।

ଏହି ତାଲିମ ଶିବିର କୃଷକମାନଙ୍କୁ ନୂଆ କୃଷି ଜ୍ଞାନକୌଶଳ, ସରକାରୀ ଯୋଜନା ଓ ଆୟ ବୃଦ୍ଧିର ବିଭିନ୍ନ ଉପାୟ ସମ୍ପର୍କରେ ଜାଣିବାର ସୁଯୋଗ ଦେଇଥିଲା। ଶେଷରେ କୃଷି ବୈଜ୍ଞାନିକ ଡକ୍ଟର ମୟୂରୀ ସିଂ ସର୍ଦାର ଧନ୍ୟବାଦ ଅର୍ପଣ କରିଥିଲେ।